କୁଣ୍ଡାଝରି ଇ-ପତ୍ରିକା ସେପ୍ଟେମ୍ବର -୨୦୨୫ ସଂସ୍କରଣ-୧୫
ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା। ବୟୋଜ୍ୟେଷ୍ଠ ମାନଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଉଛି। କନିଷ୍ଠ ମାନଙ୍କୁ ଅସରନ୍ତି ସ୍ନେହ ଓ ଭଲପାଇବା। କୁଣ୍ଡାଝରି ଇ-ପତ୍ରିକା ଦୀର୍ଘ ଏକ ବର୍ଷ ପୂରଣ କରି ତାର ପ୍ରଥମ ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ପାଳନ କରି ସାରିଛି। ପ୍ରତି ମାସ ଭଳି ଅଗଷ୍ଟ -୨୦୨୫ ସଂଖ୍ୟା ମଧ୍ୟ ଆପଣଙ୍କୁ ଖୁବ ହୃଦୟସ୍ପର୍ଶୀ ଓ ସାରସ୍ଵତ ଆନନ୍ଦ ଯୋଗାଇଥିବ ବୋଲି ଆଶା କରୁଛୁ।
ଏଥର ସେପ୍ଟେମ୍ବର -୨୦୨୫ ସଂଖ୍ୟା ପ୍ରକାଶ ହୋଇପାରିବ କି ନାହିଁ ଏକ ବଡ଼ ସମସ୍ୟା ରୂପେ ଠିଆ ହୋଇଥିଲା।କାରଣ ପତ୍ରିକାର ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ବେହେରା ମହୋଦୟଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁ ଆମେ ବହୁତ ଚିନ୍ତିତ ଥିଲୁ।ଯେହତୁ ଶ୍ରୀ ବେହେରା ମହୋଦୟ ପତ୍ରିକା ର ଏଡିଟିଙ୍ଗ ସହ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ଭାର ବହନ କରୁଛନ୍ତି। ମହାପ୍ରଭୁଙ୍କର କୃପା, ଡାକ୍ତରଙ୍କର ଚିକିତ୍ସା, ପରାମର୍ଶ ଓ ସର୍ବୋପରି ଆପଣ ମାନଙ୍କର ଭଲପାଇବା ଯୋଗୁ ଧିରେଧିରେ ସୁସ୍ଥ ହୋଇ ପତ୍ରିକା କାମକୁ ଆଗେଇ ନେଇଥିଲେ।ବହୁ ସାହିତ୍ୟିକ,କବି ବନ୍ଧୁ ମୋତେ କିମ୍ବା ସଞ୍ଜୟ ବାବୁଙ୍କୁ ଫୋନ୍ କରି ଯେଉଁ ମାନସିକ ସାନ୍ତନା ଓ ସାରସ୍ଵତ ଯାତ୍ରାକୁ ଆଗେଇବା ପାଇଁ ଯେଉଁ ଆଶୀର୍ବାଦ ଦେଇଛନ୍ତି ତାଙ୍କ ନିକଟରେ ଆମେ କୃତଜ୍ଞତା ଜଣାଉଛୁ। ହଁ କହିରଖୁଛୁ ଏଭଳି ସମସ୍ୟା ପାଇଁ ଆମେ ଏଥର ଆପଣଙ୍କ ମତାମତ,ଆମ ସ୍ରଷ୍ଟାଙ୍କ ସଂକ୍ଷିପ୍ତ ପରିଚୟ,ଓ ସାକ୍ଷାତକାର "ଅଳ୍ପରେ ଆଳାପ" ବିଭାଗ ଗୁଡିକ ସ୍ଥାନିତ କରିପାରୁନୁ। ଆଗାମୀ ସଂଖ୍ୟା ଠାରୁ ଏହା ନିୟମିତ ପ୍ରକାଶ କରିବାକୁ ଚେଷ୍ଟା କରିବୁ।
ବର୍ତ୍ତମାନ ପାର୍ବଣ ର ଋତୁ ଚାଲିବ।କାଶତଣ୍ଡୀ ର ଆଗମନରେ ମା ଜଗତଜନନୀ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିବେ। ସମସ୍ତଙ୍କ ମନରେ ହସ,ଖୁସି ଓ ଉନ୍ମାଦନାର ଭାବନା ଜାଗି ଉଠିବ। ଅଧର୍ମ ଉପରେ ଧର୍ମର ବିଜୟ ସହ ସତ୍ୟ ଶାନ୍ତି ପ୍ରତିଷ୍ଠା ହେବ ସଂସାରରେ।ଜାତିପ୍ରୀତି,ଓ ଭାଷାପ୍ରୀତିରେ ସମସ୍ତେ ନିମଗ୍ନ ରହି ମାତୃଭାଷା ସାହିତ୍ୟ କୁ ଆଉପାଦେ ଆଗେଇ ନେବାର ସଂକଳ୍ପ ହେବ ଆମ ପାଇଁ ଶ୍ରେଷ୍ଠ ଶପଥ।
ବନ୍ଦେ ଉତ୍କଳ ଜନନୀ
ଜୟ ଶ୍ରୀ ଜଗନ୍ନାଥ
