କୁଣ୍ଡାଝରି ଇ-ପତ୍ରିକା ଏପ୍ରିଲ -୨୦୨୫ ସଂସ୍କରଣ-୧୦
କୁଣ୍ଡାଝରି ପରିବାର ସମସ୍ତ ପାଠକ ତଥା ସାରସ୍ଵତ ସାଧକ, ସାଧିକା ବୟୋଜ୍ୟେଷ୍ଠ ମାନଙ୍କୁ ହୃଦୟରୁ ପ୍ରଣାମ।ସମଧର୍ମୀ ଓ କନିଷ୍ଠ ମାନଙ୍କୁ ଅଜସ୍ର ଭଲପାଇବା।ଓଡିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ।ଆପଣ ତଥା ଆପଣଙ୍କ ପରିବାର ପ୍ରତି ସଦୟ କୃପା ଦୃଷ୍ଟି ଥାଉ ମହାପ୍ରଭୁଙ୍କର। ସୁସ୍ଥ ନିରୋଗ, ରହି କାଳଜୟୀ ଲେଖା ମାନ ଲେଖି ବାଣୀ ଭଣ୍ଡାରକୁ ସମୃଦ୍ଧ କରନ୍ତୁ ଏହାହିଁ କାମନା। ମାର୍ଚ୍ଚ -୨୦୨୫ ସଂଖ୍ୟା ପ୍ରକାଶିତ ହେଲା ପରେ ବିଭିନ୍ନ ଲେଖକ,ପାଠକ,ଶୁଭାକାକ୍ଷୀ ମାନଙ୍କର ଶ୍ରଦ୍ଧା ଭଲପାଇବା ସହ ଗୁରୁତ୍ବପୂର୍ଣ୍ଣ ଓ ଗଠନମୂଳକ ମତାମତ ଦେଇ ପାଠକୀୟ ସ୍ବୀକୃତି ଜଣାଇଛନ୍ତି।ପୂର୍ବ ସଂଖ୍ୟା ଭଳି ଅପ୍ରେଲ ୨୫ ସଂଖ୍ୟା ମଧ୍ୟ ବିଶେଷ ପାଠକୀୟ ଆଦୃତି ଲାଭ କରିବ ବୋଲି ଦୃଢ଼ ଆଶା ଓ ବିଶ୍ବାସ। ଅଭିଜ୍ଞତା ସମ୍ପନ୍ନ ସମ୍ପାଦନା ମଣ୍ଡଳୀ ଙ୍କ ନିସ୍ପାଦନାରେ ବିଭିନ୍ନ ବିଭାଗକୁ ସୁନ୍ଦର, ସଜ୍ଜିକରଣ ସହ କବିତା ଗୁଡ଼ିକର ବିଭାଗୀକରଣ,ଓ ବନାନ ଗତ ଶୁଦ୍ଧି ଉପରେ ଧ୍ୟାନ ଦିଆଯାଇଛି।
ବର୍ତ୍ତମାନ ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ଜାରି ରହିଛି।ଏଥିରେ ଓଡିଆ ସାହିତ୍ୟ ସହ ପରମ୍ପରା, ଐତିହ୍ୟ,ଲୋକକଳା ଓ ସାମାଜିକ ସଚେତନତା କୁ ଗୁରୁତ୍ବ ଦିଆଯାଇଛି। ଏହା ନିଶ୍ଚିତ ଭାବେ ଏକ ଯୁଗାନ୍ତକାରୀ ପଦକ୍ଷେପ ସହ ଓଡିଆଙ୍କ ପାଇଁ ଶୁଭ ସଙ୍କେତ। କିନ୍ତୁ ଏସବୁକୁ ଆମେ ଆନ୍ତରିକତା ସହ ପାଳନ କଲେ ନିଶ୍ଚିତ ଭାବେ ସଫଳ ହେବ। ପବିତ୍ର,"ଓଡିଆ ନବବର୍ଷ" ରେ ସମସ୍ତ ଓଡିଆ ଭାଇ ଭଉଣୀ ମାନେ ଏହାକୁ ବିଶ୍ଵାସ ଓ ଆଗ୍ରହର ସହ ପାଳନ କରିବା ଉଚିତ୍ ଓ ଏହା ଆମର ମାନବିକ ଦାୟିତ୍ଵ ଓ କର୍ତ୍ତବ୍ୟ। କିନ୍ତୁ ଆମେ ଇଂରାଜୀ ନବବର୍ଷକୁ ଯେମିତି ଆଡ଼ମ୍ବର ଓ ଆଗ୍ରହ ସହ ପାଳନ କରୁଛେ, ସେମିତି ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ କୁ ମଧ୍ୟ ସେମିତି ଆଗ୍ରହର ସହ ପାଳନ କରିବା ଉଚିତ୍। ବିଶ୍ଵାସ ଓ ଦୃଢ଼ତାର ସହ ପାଳନ କଲେ, ଧର୍ମକୁ ଧାରଣ କରିବା ସହ, ମଣିଷ ଭକ୍ତି ମାର୍ଗରେ ପରିଚାଳିତ ହେବ ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଅଧୁନା ଆମ ସାହିତ୍ୟ ଜଗତ ସହ ସାହିତ୍ୟିକ ମାନଙ୍କ ମଧ୍ୟରେ ବଡ଼ ସଙ୍କଟ ସୃଷ୍ଟି ହୋଇଛି। ଅଧିକାଂଶ ଲେଖକ,କବିଙ୍କ ମଧ୍ୟରେ ଆତ୍ମ ବଡିମା, ନିଜସ୍ଵ ପ୍ରଚାର, ବଡ଼ସାନ ର ବିଭେଦ ଦେଖିବାକୁ ବହୁଳ ମାତ୍ରାରେ ମିଳୁଛି। ଯାହାକି ସାହିତ୍ୟାକାଶରେ ଧୂମକେତୁ ଭଳି ସୃଷ୍ଟି ହୋଇଛି। କିନ୍ତୁ ଏହା ସାହିତ୍ୟ ଜଗତ ପାଇଁ ଆଦୈ ଶୁଭଙ୍କର ନୁହେଁ। ନିଜର ସିଦ୍ଧି ଓ ସାଧନା ବଳରେ ସମାଜର ହିତ ସାଧନା ସହ ଜଣେ ପ୍ରତିଷ୍ଠିତ, କାଳଜୟୀ ହୋଇପାରିବ, ଏକଥା ନିଶ୍ଚିତ। କିନ୍ତୁ ଅଧିକାଂଶ ଏଥିପ୍ରତି ଦୃଷ୍ଟି ନଦେଇ ନିଜର ଅହଂମିକାରେ ନିଜର ଆତ୍ମସମ୍ମାନ ହାନି କରୁଛନ୍ତି। ସମସ୍ତ ସାରସ୍ଵତ ସାଧକ ସାଧିକା ମାନେ ଏଥିପ୍ରତି ଦୃଷ୍ଟି ଦେଇ ଉନ୍ନତ ଧରଣର ସାହିତ୍ୟ ସୃଷ୍ଟି କରି ସମାଜର ହିତସାଧନ କରିବାକୁ ନମ୍ର ନିବେଦନ। ବର୍ତ୍ତମାନ ଦଣ୍ଡ ଯାତ୍ରା ଅନୁଗୋଳ ସହ ସାରା ଓଡିଶାରେ ଖୁବ୍ ଜୋରସୋରରେ ଚାଲିଛି। ଦଣ୍ଡ ଯାତ୍ରା ରେ ମା କାଳୀଙ୍କ ସହ ଶୀବଙ୍କର ପୂଜାବିଧି ଯଥାରୀତି ରେ ହୁଏ। ଶୈବ ଶାକ୍ତ ର ମିଳିତ ଉପାସନା ଦଣ୍ଡନାଚ ଆମ ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାଏ। ଦଣ୍ଡନାଚ ରେ ସାମାଜିକ ଚେତନା, ସାହିତ୍ୟିକ ମୂଲ୍ୟବୋଧ,ଓ ସଚେତନତା ମୂଳକ ବାର୍ତ୍ତା ଦେଇଥାଏ।ନିଜର ଐତିହ୍ୟ, ସଂସ୍କୃତି, ପରମ୍ପରା,ଭାତୃତ ଭାବକୁ ରକ୍ଷା କରି ସମାଜ ହିତରେ ସମସ୍ତେ ଆଗେଇ ଯିବାକୁ ଆହ୍ୱାନ କରୁଛି।