କୁଣ୍ଡାଝରି ଇ-ପତ୍ରିକା ଜୁଲାଇ -୨୦୨୫
ପବିତ୍ର ସୁନାବେଶ ଅବସରରେ, ଓଡ଼ିଶାର ସମସ୍ତ ଜନସାଧାରଣ ଓ ଆମ ସମସ୍ତ ସ୍ରଷ୍ଟା ବନ୍ଧୁମାନଙ୍କୁ 'କୁଣ୍ଡାଝରି ଇ-ପରିବାର' ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଶୁଭ ଅବସରରେ ଗୌରବର ସହିତ ଉଲ୍ଲେଖ କରିବାକୁ ଚାହୁଁଛୁ ଯେ, 'କୁଣ୍ଡାଝରି ଇ-ପତ୍ରିକା' ଏକ ବର୍ଷ ପୂରଣ କରିଛି। ଏହି ଏକ ବର୍ଷର ଯାତ୍ରା ଆମ ପାଇଁ ଏକ ଅଭିଜ୍ଞତା ଓ ଅନେକ ଶିଖିବାର ଅବସର ଥିଲା।
ଏହି ସଫଳ ଯାତ୍ରାରେ ଅନେକ ଘାତ-ପ୍ରତିଘାତ, ଶାରୀରିକ ଓ ମାନସିକ ଅସୁସ୍ଥତା ମଧ୍ୟରେ ମଧ୍ୟ, ପ୍ରତି ମାସର ଦ୍ୱିତୀୟ ସପ୍ତାହରେ ଆମେ ଏହି ପତ୍ରିକାକୁ ଅନଲାଇନ୍ ରେ ପ୍ରକାଶ କରିପାରିଛୁ। ଏହି ଅଭିଯାନ କେବଳ ଆମ ଦୃଢ଼ ଉଦ୍ୟମ ଦ୍ୱାରା ନୁହେଁ, ବରଂ ଆମ ସ୍ରଷ୍ଟା ବନ୍ଧୁମାନଙ୍କ ଆଗ୍ରହ, ଭଲପାଇବା ଓ ଅବିରତ ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି। ଏହି ସଫଳତାର ଶ୍ରେୟ ଆମେ ସେହି ୯୫ଜଣ ସ୍ରଷ୍ଟା ବନ୍ଧୁମାନଙ୍କୁ ଦେଉଛୁ, ଯେଉଁମାନେ ପ୍ରଥମ ସଂଖ୍ୟାରୁ ଆମକୁ ବିଶ୍ୱାସ କରି ତାଙ୍କର ମୂଲ୍ୟବାନ ରଚନା ପଠାଇଥିଲେ। ସେମାନଙ୍କ ଉପଦେଶ ଓ ସହଯୋଗ ଦ୍ୱାରା 'କୁଣ୍ଡାଝରି ଇ-ପତ୍ରିକା' ଆପଣମାନଙ୍କ ପ୍ରିୟ ପତ୍ରିକା ହୋଇପାରିଛି। ଏହି ଅବସରରେ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।
ଅନେକ ବନ୍ଧୁମାନେ 'କୁଣ୍ଡାଝରି ଇ-ପତ୍ରିକା' ନାମ ଓ ଏହାର ସୃଷ୍ଟି ସମ୍ବନ୍ଧରେ ଅନେକ ଗୁଡ଼ିଏ ପ୍ରଶ୍ନ କରିଥିଲେ। 'କୁଣ୍ଡାଝରି' ହେଉଛି ଏକ କ୍ଷୁଦ୍ର ଝରଣା, ଯାହା ମୋ ଗାଁ ଜଙ୍ଗଲ ପାଖ ଶ୍ମଶାନ ଭୂମି ଓ ସମ୍ପାଦକ ସୁବ୍ରତ କୁମାର ପ୍ରଧାନଙ୍କ ଗାଁ ଜଙ୍ଗଲ ମଧ୍ୟ ଦେଇ ପ୍ରବାହିତ। ଏହି ଝରଣା ନିରନ୍ତର ଏକ ଶୀତଳ ଝରଣା ଭାବେ ଲୋକମାନଙ୍କ ଜୀବନରେ ଶାନ୍ତି ଓ ପ୍ରେରଣା ଦେଇଥାଏ।
ଆଈମା କଥା ମୋ ଜୀବନର ଅତ୍ୟନ୍ତ ଆତ୍ମୀୟ ଏବଂ ଭାବପୂର୍ଣ୍ଣ ଅନୁଭୂତି। ମୁଁ ଆଈଙ୍କୁ ଅତ୍ୟଧିକ ଭଲପାଏ। ଛୋଟବେଳେ ଆଈଙ୍କ ଦେହାନ୍ତ ମୋତେ ଗଭୀର ଦୁଃଖ ଦେଇଥିଲା। ଆଈଙ୍କ ସ୍ମୃତି ମୋ ମନରେ ଏପରି ଗଭୀର ଭାବରେ ଅନ୍ତର୍ନିହିତ, ଯାହାକି ପ୍ରତିଟି ଦିନ ମୋତେ ନୂତନ ଅନୁଭୂତି ଓ ଶକ୍ତି ଦେଇଥାଏ।
ଗ୍ରାମ ଜୀବନର ଏକ ଅଂଶ ହିସାବରେ ଭୂତ କଥା ଏଠାରେ ବେଶି ଆଲୋଚିତ। ମୁଁ ଆଈଙ୍କୁ ଦେଖିବା ଆଶାରେ ଅନେକଥର ଦିବା ଦ୍ୱିପହରରେ କୁଣ୍ଡାଝରି ଝରଣା ପାଖରେ ଥିବା ଶ୍ମଶାନକୁ ଯାଇଛି। ଏଠିର ଶୀତଳ ଜଳ ପାନ କରି, ବାଲି ଓ ଜମ୍ମୁ ଗଛର ଛାୟା ତଳେ ବସି ଆଇର ସମାଧି ସ୍ଥଳକୁ ନିରୀକ୍ଷଣ କରିଛି। ଏହି ଦୃଶ୍ୟ ମୋ ମନରେ ଏକ ଅଦ୍ୱିତୀୟ ଶାନ୍ତି ଓ ଆତ୍ମୀୟତା ଭରିଦେଇଥାଏ।
ଗାଁର ଅନେକ ଲୋକ ଏହି ଦୃଶ୍ୟ ଦେଖି, ମୋ ବିଷୟରେ ନାନା କଥା ଆଲୋଚନା କରନ୍ତି—“ମୁଁ କୁଆଡ଼େ ଶ୍ମଶାନରେ ତନ୍ତ୍ର ସାଧନା କରୁଛି” ବୋଲି କହନ୍ତି। ଏହି କଥାଗୁଡ଼ିକ ଶୁଣି ମୋତେ ହସ ଲାଗେ, କାରଣ ମୋର ଉଦ୍ଦେଶ୍ୟ କେବଳ ଆଈଙ୍କ ସ୍ମୃତିରେ କିଛି ମୁହୂର୍ତ୍ତ ବିତାଇବା ଓ ତାଙ୍କୁ ଅନୁଭବ କରିବା।
ଯଦି “କୁଣ୍ଡାଝରି ଇ-ପତ୍ରିକା” ସୃଷ୍ଟି ସମ୍ବନ୍ଧରେ ଆଲୋଚନା କରିବା । ମୋଟାମୋଟି ଭାବରେ କହିପାରିବି , “ଯେତେବେଳେ କୌଣସି ଏକ ଭାଷା ସାହିତ୍ୟରେ ସମୃଦ୍ଧ ସାହିତ୍ୟାନୁଷ୍ଠାନ ମଧ୍ୟରେ ଏକ ଅଣ ସାହିତ୍ୟିକ ବ୍ୟକ୍ତି ନିଜେ ନିଜର ପ୍ରଶଂସା ଗାନକରି ଅନ୍ୟ ମାନଙ୍କୁ ନିଚା ଦେଖାଇବା ପାଇଁ ଏବଂ ନିଜକୁ ମହାନ୍ ବୋଲି ପ୍ରମାଣ କରିବା ପାଇଁ ଅତି ନିମ୍ନ ସ୍ତରର ରାଜନୈତିକ କାର୍ଯ୍ୟ କଳାପରେ ଲିପ୍ତ ରୁହନ୍ତି। ତେବେ ସେ ପରିପ୍ରେକ୍ଷୀରେ ଉକ୍ତ ଅନୁଷ୍ଠାନର ଅସ୍ତିତ୍ବ ଦୁନିଆରୁ ଲିଭି ଯିବା ପାଇଁ କେହି କେବେ ଅଟକାଇ ପାରିବେ ନାହିଁ।” ସେ ପରିପ୍ରେକ୍ଷୀରେ ନୂତନ ଭାବରେ ଅନେକ ସାହିତ୍ୟ ଅନୁଷ୍ଠାନ ଗଢିଉଠିଛି। କିନ୍ତୁ ସାହିତ୍ୟ କୁ ଗଭୀର ଭାବେ ଭଲପାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ମା ସାରଳା କୌଣସି ନା କୌଣସି ମାଧ୍ୟମରେ ନିଜର ଏକ ଅବତାର କୁ ପଠାଇ ଥାନ୍ତି। ଆପଣ ମାନେ କହିପାରିବେ “କୁଣ୍ଡାଝରି ଇ-ପତ୍ରିକା” ହେଉଛି ମା ଶାରଳାଙ୍କ ଏକ ଅବତାର। ଧନ୍ୟବାଦ୍।
