କୁଣ୍ଡାଝରି ଇ-ପତ୍ରିକା(ଜାନୁୟାରୀ-୨୦୨୫)|Kundajhari epatrika (January -2025)|Edition -7

 

କୁଣ୍ଡାଝରି ଇ-ପତ୍ରିକା(ଜାନୁୟାରୀ -୨୦୨୫) ସଂସ୍କରଣ-୭


କୁଣ୍ଡାଝରି ପରିବାର ତଥା ସମସ୍ତ ପାଠକ,ସାରସ୍ଵତ ସାଧକ, ସାଧିକା ବୟୋଜ୍ୟେଷ୍ଠ ମାନଙ୍କୁ ହୃଦୟରୁ ପ୍ରଣାମ🙏। ସମଧର୍ମୀ ତଥା କନିଷ୍ଠ ମାନଙ୍କୁ ଅଜସ୍ର ଭଲପାଇବା ସହ ଶୁଭେଚ୍ଛା । ନବବର୍ଷ ୨୦୨୫ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା।ନବବର୍ଷ ଆପଣଙ୍କ ପାଇଁ ତଥା ଆପଣଙ୍କ ପରିବାର ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ।ମହାପ୍ରଭୁଙ୍କ ଅପୂର୍ବ କୃପାରୁ ସମସ୍ତେ ସୁସ୍ଥ ନିରାମୟ ରହି ସାରସ୍ଵତ ସାଧନାରେ ବ୍ରତୀ ରୁହନ୍ତୁ।କାଳଜୟୀ ଲେଖା ମାନ ଲେଖି ବାଣୀ ଭଣ୍ଡାରକୁ ସମୃଦ୍ଧ କରନ୍ତୁ ଏହାହିଁ କାମନା ପ୍ରତିଥର ଭଳି ଡ଼ିସେମ୍ବର- ୨୪ ସଂଖ୍ୟା ପ୍ରକାଶିତ ହେଲାପରେ ବିଭିନ୍ନ ସ୍ଥାନରୁ ବହୁ ପାଠକ,ଲେଖକ,ଓ ଶୁଭାକାଂକ୍ଷୀ ମାନେ ଫୋନ କଲ୍ ଓ ମେସେଜ ମାଧ୍ୟମରେ ନିଜ ନିଜର ଶ୍ରଦ୍ଧା, ଭଲପାଇବା ପୂର୍ବକ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇ ପାଠକୀୟ ସ୍ଵୀକୃତି ଜଣାଇଛନ୍ତି।ଯାହାକି ଆଗକୁ ବଢ଼ିବାକୁ ଆମକୁ ପ୍ରଚଣ୍ଡ ପ୍ରେରଣା ଯୋଗାଉଛି। ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି। ଜାନୁୟାରୀ -୨୦୨୫ ସଂଖ୍ୟାଟି ମଧ୍ୟ ପୂର୍ବ ସଂଖ୍ୟା ଭଳି ବିଶେଷ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ଓ ବିଶ୍ବାସ।ଅଭିଜ୍ଞତା ସମ୍ପନ୍ନ ସମ୍ପାଦନା ମଣ୍ଡଳୀ ଙ୍କ ନିସ୍ପାଦନାରେ ବିଭିନ୍ନ ବିଭାଗକୁ ସୁନ୍ଦର ସଜ୍ଜିକରଣ ସହ କବିତା ଗୁଡିକର ବିଭାଗୀକରଣ କରାଯାଇଛି।

     ଦୀର୍ଘ ପଥ ସମୟ ବୁକୁରେ ୨୦୨୪ ଧରାପୃଷ୍ଠରୁ ବିଦାୟ ନେଇଛି। ନୂତନ ଆଶା ଓ ସମ୍ଭାବନା ରେ ଧସେଇ ପଶିଛି ନୂଆବର୍ଷ -୨୦୨୫ ।ମନ ଭିତରେ ଅନେକ ସ୍ଵପ୍ନ, ଅସୁମାରୀ ଆଶା, ପ୍ରଚଣ୍ଡ ତିତୀକ୍ଷା ରେ ସମସ୍ତେ ମସଗୁଲ। ଭୋଜିଭାତ, ନାଚ ଗୀତରେ ସମସ୍ତେ ବିଭୋର ।ପାଶ୍ଚାତ୍ୟ ସଂସ୍କୃତିର ନିଶାରେ ଆମେ ସମସ୍ତେ ମତୁଆଲା। କିନ୍ତୁ ଆମ ଓଡିଶାର ସଂସ୍କୃତି, ସଂସ୍କାର କୁ ଆମେ ସମ୍ପୂର୍ଣ ରୂପେ ଭୁଲି ଯାଇଛେ।ଓଡ଼ିଆର ନବବର୍ଷ କହିଲେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି,କେବଳ ନାମକୁ ମାତ୍ର।ଆମ ପିଲାମାନେ ତ' ଏବାବଦରେ ସମ୍ପୂର୍ଣ ରୂପେ ଅଜ୍ଞ। ଅଭିଭାବକ ମାନେ ମଧ୍ୟ ଆମେ, ଚେଷ୍ଟା କରୁନେ ନିଜ ସଂସ୍କୃତିକୁ ପୁନରୁଦ୍ଧାର ପାଇଁ।ନା' ଅଛି ଆଗ୍ରହ ନା' ଅଛି ଆନ୍ତରିକତା। ଦୃଷ୍ଟି ଆଢ଼ୁଆଳରେ ଲୁଚିଗଲାଣି ଆମ ଭାଷା,ଚଳଣି, ପର୍ବପର୍ବାଣୀ, ସଂସ୍କୃତି ଓ ସଂସ୍କାର। କିନ୍ତୁ ଭାଷା ଭିତ୍ତିରେ ଗଠିତ ଆମ ରାଜ୍ୟ ଓଡିଶା ଗଠନ ହେବା ଏତେ ସହଜ ନଥିଲା।ଏକଥା କୁ ଆମେ ଜଳାଞ୍ଜଳୀ ଦେଇଛେ ଯେମିତି ମନ ଭିତରୁ।
       
        ବର୍ତ୍ତମାନ ଆମ ରାଜ୍ୟରେ "ପ୍ରବାସୀ ଭାରତୀୟ ଦିବସ" ପାଳନ ଚାଲିଛି। ବିଭିନ୍ନ ଦେଶରୁ ନିମନ୍ତ୍ରିତ ଅତିଥି ଓ ପ୍ରବାସୀ ଭାରତୀୟ ମାନେ ଆସି ଆତିଥ୍ୟ ଗ୍ରହଣ କରିଛନ୍ତି।ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସଂସ୍କୃତି, ସାହିତ୍ୟ, ପର୍ବପର୍ବାଣୀ ଓ ସର୍ବୋପରି ଭାଇଚାରାର ମହାନ୍ ପରମ୍ପରା କୁ ଉଜ୍ଜୀବିତ କରି ଏକତା ସୂତ୍ରରେ ବାନ୍ଧିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ବାରା ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଓଡିଶା ବହୁ ଆଗକୁ ଯିବା ସହ କେନ୍ଦ୍ରବିନ୍ଦୁ ଭାବେ ବିଶ୍ଵରେ ରହିବ ବୋଲି ଦୃଢ଼ ଆଶା। ଆୟୋଜନ କରିଥିବା ରାଜ୍ୟ ତଥା ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ସମସ୍ତଙ୍କୁ ଅନୁରୋଧ ଇଂରାଜୀ ନବବର୍ଷ ପାଳନ କରିବାକୁ ଆମ ମନରେ ଯେଭଳି ଉତ୍ସାହ , ଉଦ୍ଦୀପନା ସୃଷ୍ଟି ହେଉଛି, ସେଭଳି ଆମ ଓଡିଆ ନବବର୍ଷ ତଥା ସଂସ୍କୃତିର ପରିଚୟ ପଣା ସଂକ୍ରାନ୍ତି କୁ ସେଭଳି ଉତ୍ସାହ ସହକାରେ ପାଳନ କରି ସ୍ଵାଗତ କରିବାକୁ ସମସ୍ତଙ୍କ ନିବେଦନ। ଓଡ଼ିଶାର ସଂସ୍କୃତିକୁ ସୁରକ୍ଷା ଦେଇ ବଜାୟ ରଖିଲେ ଆଗାମୀ ପୀଢ଼ି ପାଇଁ ଏକ ଶୁଭ ସୂଚକ ବାର୍ତ୍ତା ଯିବା ସଙ୍ଗେ ସଙ୍ଗେ, ଓଡିଶାର ଗାରିମା ନିଶ୍ଚିତ ଭାବେ ବୃଦ୍ଧି ପାଇବା ଏହା ନିଃସନ୍ଦେହ।


Post a Comment

💬 We welcome your thoughts!
Please keep your comments respectful and relevant to the topic. All comments are moderated and may take some time to appear.

Previous Post Next Post